ନିଜକଥା……
କବିତା ମୋ ଜୀବନର ପାଖେ ପାଖେ ଗୁଣୁ ଗୁଣୁ ହୋଇ ବହିଚାଲିଛି ମୋ ଚେତା ହେଲାଦିନୁ। ଅନେକ କିଛି ହଜିଯାଇଛି ସମୟର ଗୋଳିଆ ପାଣିରେତ ଆଉ କିଛି ଭାଷାର ଅଭାବରୁ ଛାତିତଳେ ଆଖି ମୁଦି ଶୋଇରହିଗଲେ ।ଅନନ୍ତ ସ୍ପର୍ଶର ସନ୍ଧାନରେ କେବେକେବେ ଖୋଜିବୁଲି ପହଞ୍ଚିଯାଏ ଆକାଶର ପରିଧିରେ। ନିଜକୁ ଭୂଲିଯାଇ କେବେ ପାଦଦିଏ ଅପରାହ୍ନର ଉଷୁମ ପବନରେତ ପୁଣି ଦୌଡ଼ିଚାଲେ ମରିଚୀକା ପଛେ ଚାହିଁରହେ ଅଦିନ ବର୍ଷାକୁ ଆଉ ଏକ ନୂଆ ସୂର୍ଯ୍ୟର ଆଗମନକୁ।ମୋ ଶୁଖିଲା ମୁହଁର ଯାତ୍ରା ଅକୁହା ପ୍ରେମର ଝରଣା ଠେଲିଦିଏ ଆଉକେଉଁ ଭିନ୍ନ ପରିଧିକୁ। ସ୍ମୃତିମାନେ ମୋ ଫେରିବା ବାଟକୁ ଦେଖୁଥିଲେହେଁ ଜୀବନର ରହସ୍ୟରେ ଉବୁଟୁବୁ ମୋ ହଜିଲା ଧନ ମୋଠୁଁ ଦୂରେଇ ଯାଉଥିଲା। ମୋ ଜନନୀ, ଜାୟା, ପୁତ୍ର, କନ୍ୟା ତଥା ଶ୍ରେୟା ଏବଂ ମୋର ଆଉ କିଛି ସମ୍ପର୍କୀୟ ଠେଲିଥିଲେ ମୋତେ ଜୋଛନାର ମୁକ୍ତିର ବାଟରେ। କଟା ଡେଣା ପରେ ନୂଆ ପର ନେଇ ଯାଉଥିଲି ଫେରିଲା ବୁଦ୍ଧ ପରି ନିର୍ବାଣ ସନ୍ଧାନେ। ହୋଇପାରେ ଏ ମୋ’ ଆତ୍ମକଥା କିନ୍ତୁ ଜୀବନର ସତ୍ୟ । ସ୍ରଷ୍ଟାଙ୍କର ଏହି ରହସ୍ୟମୟ ସୃଷ୍ଟି ସର୍ଜନାରେ ମୁଁ ଖୋଜୁଥାଏ ମୋର ସ୍ଥିତି। ଦୁନିଆ ଦେଖାଯାଏ ଅନ୍ଧାର ଆଉ ଏହି ଅନ୍ଧାରରେ ମୁଁ ଅନୁଭବ କରେ ଅନନ୍ତ ସ୍ପର୍ଶ ଚିହ୍ନା ଆଖି ଅଚିହ୍ନା ମୁହଁର। ଏହି ସନ୍ଧିକ୍ଷଣରେ ଅଫିସକୁ ପଶିଆସନ୍ତି ଜଣେ କବି ତଥା ପ୍ରକାଶକ ।କଥାରେ କଥାରେ ମୁଁ ମୋହିତ ହୋଇଯାଏ ଶାଳବଣର ବାସ୍ନା ଆଘ୍ରାଣ କଲାଭଳି । ପ୍ରକାଶକ ବନ୍ଧୁଙ୍କର କବିତାର ଧାରା ପ୍ରବାହରେ ଅଦିନ ବର୍ଷା ପରି ମୋ ’ତନୁମନ ଆର୍ଦ୍ର ହୋଇଯାଏ ତ ମୁଁ ହୋଇଯାଏ କବିମନସ୍କ। ଛାତ୍ରାବସ୍ଥାରେ ଲେଖା କବିତାଗୁଡ଼ିକ ହଜିଯାଇଛିତ ଅବଶୋଷ କାହିଁକି? ଏବେ ଏବେ କର୍ମମୟ ଜୀବନରେ ଓ ସାଂସାରିକ ଜଞ୍ଜାଳରେ ତ ମୋ ଲେଖନୀରୁ ନିଗିଡ଼ିପଡ଼ିଚି ଅର୍ଦ୍ଧଶତାଧିକ କବିତାର ପୁଷ୍ପ। ପ୍ରକାଶକ ବନ୍ଧୁଙ୍କର ଅନୁରୋଧରେ ପୁଷ୍ପଗୁଡ଼ିକ ସାଉଁଟିବାକୁ ଉଚ୍ଛା କଲିତ ଏଣେତେଣେ ବିକ୍ଷିପ୍ତ ସମସ୍ତ ଫୁଲକୁ ଖୋଜିପାଇବାହିଁ ହେଲା ମୁସ୍କିଲ ବ୍ୟାପାର। ଯାହା ମିଳିଲା ତାହାକୁ ପ୍ରକାଶକ ବନ୍ଧୁ ସଜାଡ଼ିଲେ…ଗୁନ୍ଥିଲେ…ଗଢ଼ିଲେ ପୁଷ୍ପ କୋଣାର୍କ,ଆଉ ମୁଁ ସେହି କୋଣାର୍କ ଦର୍ଶନରେ ଅନୁଭବ କରୁଛି ସ୍ନିଗ୍ଧ ଶୀତଳ ‘ଅନନ୍ତ ସ୍ପର୍ଶ’…
ବିଚିତ୍ର କୁମାର ବେହୁରା